ଓଡିଶାବାସୀଙ୍କୁ ପବିତ୍ର ରଥଯାତ୍ରାର ଅଭିନନ୍ଦନ…

ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ… ୨୦୧୭ ମସିହାର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ବଣମଲ୍ଲୀର ମହକ ଇ-ପତ୍ରିକା ପରିବାର ଆପଣ ମାନଙ୍କୁ ସାଦର ଅଭିନନ୍ଦନ ଜଣାଉଛି । ଶ୍ରୀଜଗନ୍ନାଥ ସମଗ୍ର ଓଡିଶାବାସୀଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ । ଜୟ-ଜଗନ୍ନାଥ…

ଆମ ପ୍ରୟାସ…

“ବଣମଲ୍ଲୀର ମହକ” ଏକ ଭିନ୍ନ ସ୍ଵାଦର ତ୍ରୟମାସିକ ଇ-ପତ୍ରିକା । ଓଡିଆ ଭାଷା ସାହିତ୍ୟ – ସଂସ୍କୃତି ଓ ତଥ୍ୟ ସମ୍ବଳିତ ଏହି ପତ୍ରିକା ନୂତନ ପିଢୀର ଲେଖକ ଲେଖିକା ମାନଙ୍କ ନିମନ୍ତେ ସେମାନଙ୍କ ସାଧନାର ଏକ ପ୍ରେରଣା । ଯେପରି ବଣ ଭିତରେ ବଣମଲ୍ଲୀଟିଏ ରାତି ପାହିଲା ବେଳକୁ ଝରି ପଡିଥାଏ ସମସ୍ତଙ୍କ ଅଜାଣତରେ ଆଉ ରାତ୍ରିର ଘନ ଅନ୍ଧକାର ଏବଂ ଗୋପନତା ଭିତରେ ତାହାର ଅପୂର୍ବ ମହକକୁ ଅସ୍ଵାଦନ କରିବା ପାଇଁ କେହି ନଥାନ୍ତି ତା’ ନିକଟରେ, କିନ୍ତୁ ମହକିତ ବଣମଲ୍ଲୀଟିର ଏଥିପ୍ରତି ଜମା ଖାତିର ନଥାଏ । ନିଜ ପ୍ରତିଭା ଆଉ ବ୍ୟକ୍ତିତ୍ଵର ପରିଚୟ ପ୍ରଦାନ କରିଥାଏ ତାର ଅପୂର୍ବ ବାସ୍ନାରେ । ଅଜାଣତରେ ଯଦି କେବେ କୌଣସି ପଥିକକୁ ସେଇ ମହକର ସନ୍ଧାନ ମିଳିଯାଏ, ସେ ଦଣ୍ଡେ ଅଟକି ଯାଏ ସେଇଠାରେ ଆଉ ମୃଗଶିରାର ମାୟାଜାଲରେ ଛନ୍ଦି ହୋଇ ପଡେ ପଥିକଟି ଖୁବ ପାଖରୁ ବଣମଲ୍ଲୀର ମହକକୁ ନିଜ ହୃଦୟରେ ଆସ୍ଵାଦନ କରିବାପାଇଁ । ଯେତେବେଳେ ସନ୍ଧାନର ପଥରେ ସେ ଦୃଶ୍ୟମାନ ହୁଏ, ସେତେବେଳକୁ ଝରି ପଡିଥାଏ ତା’ର ସୁକୋମଳ ତନୁଟି । ଲାଗିପାରେନା ସେ କୌଣସି ଦେବତାର ପୂଜାରେ ! ସୃଷ୍ଟି କରିପାରେନା ସେ ନିଜର ସ୍ଵତନ୍ତ୍ର ପରିଚୟ !! କେବଳ ସ୍ମୃତିରେ ମହକୁଥାଏ ନିରୀହ ବଣମଲ୍ଲୀଟିର ଅପୂର୍ବ ବାସ୍ନା ।

ଓଡିଆ ଭାଷା-ସାହିତ୍ୟ ଓ ସଂସ୍କୃତି ଜଗତର ଏହି ଇ-ପତ୍ରିକା “ବଣମଲ୍ଲୀର ମହକ” ହୁଏତ ସମସ୍ତଙ୍କ ନିକଟରେ ତା’ର ସେଇ ଅପୂର୍ବ ମହକକୁ ପରିଚିତ କରିବାରେ ସହାୟକ ହୋଇପାରିବ ଏହା ଆଶା ଓ ବିଶ୍ଵାସ । ପ୍ରତ୍ୟେକ ସାହିତ୍ୟାନୁରାଗୀ ଏବଂ ଓଡିଆ ସଂସ୍କୃତି ପ୍ରେମୀ ଲେଖକ ଓ ଲେଖିକା ମାନଙ୍କର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଓଡିଆ ସଂସ୍କୃତି ଓ ସାହିତ୍ୟ ଜଗତର ସୁଖ ସମୃଦ୍ଧି ଦିଗରେ ଏହା ଏକ ଭିନ୍ନ ଓ ଅଭିନବ ପ୍ରୟାସ ମାତ୍ର ।

ଏହି କ୍ଷୁଦ୍ରାତିକ୍ଷୁଦ୍ର ପତ୍ରିକାଟି ଗୁଣ୍ଡୁଚିମୂଷା ସଦୃଶ ସମଗ୍ର ନୂତନ ପିଢୀ ତଥା ଶିଶୁ ଓ ତରୁଣ ଲେଖକ ଲେଖିକା ମାନଙ୍କ ପ୍ରତିଭାର ପରିଚୟ ଓ ବିକାଶ ଦିଗରେ ଉଦ୍ୟମ ଜାରି ରଖିବା ସହ ଓଡିଶା ବାହାରେ ଦେଶ ତଥା ବିଦେଶର ଓଡିଆଭାଷୀ ଓ ଓଡିଆପ୍ରେମୀ ମାନଙ୍କ ନିକଟରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ମହକକୁ ପହଞ୍ଚାଇବା ଦିଗରେ ସହାୟକ ହୋଇପାରିବ ଏହା ନିଃସନ୍ଦେହ । ଏହାଛଡା ବିଭିନ୍ନ ବାର୍ତ୍ତା ଓ ତଥ୍ୟ ସମୂହକୁ ଓଡିଆ ପାଠକ ପାଠିକା ମାନଙ୍କ ନିକଟରେ ପ୍ହଞ୍ଚାଇବା ନିମନ୍ତେ ଯଥା ସାଧ୍ୟ ପ୍ରୟାସ ଜାରି ରଖିବ ।


ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିକୁ ବିଶ୍ଵ ବିଦିତ କରିବା । ନୂତନ ପିଢିର ସାହିତ୍ୟ ସ୍ରଷ୍ଟା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା । ପ୍ରତିଷ୍ଠିତ ସାହିତ୍ୟ ସ୍ରଷ୍ଟା ମାନଙ୍କ ଠାରୁ ଅନେକ କିଛି ଶିକ୍ଷା ଲାଭ କରିବା । ଗର୍ବର ସହିତ ଆସନ୍ତୁ କହିବା ଆମେ ଓଡିଆ..

ବଣମଲ୍ଲୀର ମହକ ଇ-ପତ୍ରିକାରେ ପ୍ରତି ମାସରେ ବିଭିନ୍ନ ବିଷୟ ଗୁଡିକ ଇଣ୍ଟରନେଟ ମାଧ୍ୟମରେ ପ୍ରକାଶ ପାଇଥାଏ ଏବଂ ଏହାର ତ୍ରୟମାସିକ ସଂସ୍କରଣ ଗୁଡିକ ସ୍ଵତନ୍ତ୍ର ସମ୍ମୁଖ ଫର୍ଦ୍ଦ ସହ ପି॰ଡି॰ଏଫ॰ ପୁସ୍ତିକା ଆକାରରେ ଏହି ୱେବସାଇଟ ମାଧ୍ୟମରେ ଉପଲବ୍ଧ ହୋଇଥାଏ । ବିନା ମୂଲ୍ୟରେ ଏହି ତ୍ରୟମାସିକ ସଂସ୍କରଣ ଗୁଡିକୁ ପାଠକ ପାଠିକା ମାନେ ଅବତରଣ (ଡାଉନଲୋଡ) କରି ପଢିବା ସହିତ ମୁଦ୍ରଣ କରିବାର ସୁବିଧା ମଧ୍ୟ ପାଇପାରିବେ ।

ଓଡିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା କିଛି ବ୍ୟକ୍ତି ବିଶେଷଙ୍କ ପ୍ରଚେଷ୍ଟା ଓ ଅବଦାନ ଏହି ଇ-ପତ୍ରିକାଟିକୁ ସୃଷ୍ଟି କରିବାରେ ସଫଳ ହୋଇ ପାରିଛି ।


ଆପଣଙ୍କର ନିଜସ୍ୱ ଲେଖାଟିଏ ଏହି ପତ୍ରିକାରେ ସ୍ଥାନିତ କରିବାକୁ ଚାହୁଁଥିଲେ ଏହି ଲିଙ୍କରେ କ୍ଲିକ କରନ୍ତୁ 

ବଣମଲ୍ଲୀର ମହକ ଇ-ପତ୍ରିକାର ତୃତୀୟ ସଂଖ୍ୟା – ଜୁଲାଇ-ସେପ୍ଟେମ୍ବର ୨୦୧୭